ସର୍ଦ୍ଦାର ବଲ୍ଲଭଭାଇ ପଟେଲ(୩୧ ଅକ୍ଟୋବର ୧୮୭୫-୧୫ ଡିସେମ୍ବର ୧୯୫୦) ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ, ଓକିଲ, ଭାରତୀୟ ଜାତୀୟ କଂଗ୍ରେସର ସଭ୍ୟ ଥିଲେ । ଭାରତର ସ୍ୱାଧୀନତା ସଂଗ୍ରାମରେ ତାଙ୍କ ଭୂମିକା ଗୁରୁତ୍ୱପୁର୍ଣ୍ଣ ଥିଲା । ସ୍ୱାଧୀନ ଭାରତର ସେ ପ୍ରଥମ ଉପ-ପ୍ରଧାନମନ୍ତ୍ରୀ ଥିଲେ । ସ୍ୱାଧୀନତା ସମୟରେ ବିନା ରକ୍ତପାତରେ ଭାରତର ପ୍ରାୟ ସମସ୍ତ ରାଜ୍ୟଗୁଡ଼ିକୁ ଏକାଠି କରିବାରେ ତାଙ୍କର ଅବଦାନ ନିମିତ୍ତ ତାଙ୍କୁ "ଲୌହ ମାନବ" ଉପାଧି ମିଳିଥିଲା । ତାଙ୍କର ସ୍ମୃତିରେ ୨୦୧୪ ମସିହାରୁ ପ୍ରତିବର୍ଷ ତାଙ୍କର ଜନ୍ମତିଥି ୩୧ ଅକ୍ଟୋବରକୁ ରାଷ୍ଟ୍ରୀୟ ଏକତା ଦିବସ ରୂପେ ପାଳନ ହୋଇ ଆସୁଅଛି । ୩୧ ଅକ୍ଟୋବର ୨୦୧୮ ତାରିଖରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଦ୍ୱାରା ଦେଶବାସୀଙ୍କ ଉଦ୍ଦେଶ୍ୟରେ ତାଙ୍କର ଏକ ୧୮୨ ମିଟର ପ୍ରତିମୂର୍ତ୍ତି ଉଦଘାଟନ କରିଥିଲେ ।
ଏହାକୁ ଏକତାର ପ୍ରତିମୂର୍ତ୍ତି ଭାବରେ ସମ୍ବୋଧନ କରାଯାଉଛି । ଏହା ଉଦଘାଟନ ସମୟରେ ବିଶ୍ୱର ସର୍ବୋଚ୍ଚ ପ୍ରତିମୂର୍ତ୍ତି ଥିଲା ।
ବଲ୍ଲଭଭାଇ ପଟେଲଙ୍କ ଜନ୍ମ ତାରିଖର କିଛି ପ୍ରମାଣ ନ ଥିଲା ।ସେ ୩୧ ଅକ୍ଟୋବରକୁ ନିଜ ଜନ୍ମ ତାରିଖ ଭାବେ ମାଟ୍ରିକ ପରୀକ୍ଷାରେ ଲେଖିଥିଲେ । ସେ ପଟେଲ ଜାତିରେ ଜନ୍ମଗ୍ରହଣ କରିଥିଲେ । ସେ ନଦିଆଦ, ପେଟଲାଡ ଓ ବୋରସାଦରେ ସ୍କୁଲରେ ପଢିବାକୁ ଯାଇଥିଲେ । ସେ ତାଙ୍କ ମାଟ୍ରିକ ୨୨ ବର୍ଷରେ ପାସ କରିଥିଲେ । ସେ ବର୍ଷ ବର୍ଷ ନିଜା ପରିବାରଠାରୁ ଦୁରରେ ରହି ନିଜ ପାଠ ପଢ଼ାରେ ଧ୍ୟାନ ଦେଇଥିଲେ । ସେ ଗୁଜରାଟର ଗାଁରେ ବଢିଥିଲେ । ସେ ଓକିଲ ଭାବେ ନିୟୋଜିତ ହୋଇଥିଲେ ।
ସାଙ୍ଗମାନଙ୍କ ପ୍ରେରଣାରେ ସେ ଉତ୍ସାହିତ ହୋଇ ସେ ସ୍ୱଚ୍ଛତା କମିଶନର ଅଫ ଅହମଦାବାଦ ପଦ ନିମିତ୍ତ ନିର୍ବାଚନରେ ଛିଡ଼ା ହୋଇଥିଲେ ଏବଂ ଜିତିଥିଲେ । ବହୁବାର ତାଙ୍କର ମତ ବ୍ରିଟିଶ ସରକାରଙ୍କଠାରୁ ଭିନ୍ନ ହେଲେ ମଧ୍ୟ ସେ ରାଜନୀତିରେ ପ୍ରବେଶ କରିବା କଥା ଚିନ୍ତା କରିନଥିଲେ । ଅକ୍ଟୋବର ୧୯୧୭ରେ ସେ ଗାନ୍ଧିଜୀଙ୍କ ସହ ଭେଟ ହେଲାପରେ ଭାରତର ସ୍ୱାଧୀନତା ସଂଗ୍ରାମରେ ଅଂଶଗ୍ରହଣ କଲେ ।
କଂଗ୍ରେସ ସ୍ୱେଛାସେବୀମାନଙ୍କର ସହାୟତାରେ ପଟେଲଜୀ ଗୁଜରାଟରେସ୍ଥିତ ଖେଦା ଜିଲ୍ଲାର ଗାଁ ଗାଁ ବୁଲି ଲୋକଙ୍କର ଆପତ୍ତି ଲେଖି ରଖୁଥିଲେ ଏବଂ ଏହାସହ ସରକାରଙ୍କୁ ଟିକସ ନଦେବା ନିମିତ୍ତ ଉତ୍ସାହିତ କରୁଥିଲେ । ପଟେଲଜୀ ଦେଶରେ ଏକତା ଏବଂ ଅହିଂସା ନିମିତ୍ତ ଲୋକଙ୍କୁ କଠିନତା ଆପଣେଇବାକୁ ପ୍ରେରଣା ଯୋଗାଉଥିଲେ । ସେ ପ୍ରତି ଗ୍ରାମରୁ ବହୁମାତ୍ରାରେ ସମର୍ଥନ ଲାଭ କରିଥିଲେ । ସେ ପ୍ରତି ଗାଁରେ କାମ କରିବା ନିମିତ୍ତ ଏକ ସ୍ୱେଛାସେବୀ ମଣ୍ଡଳୀ ତିଆରି କରିଥିଲେ । ପଟେଲଜୀ ଗାନ୍ଧୀଙ୍କର ଅସହଯୋଗ ଆନ୍ଦୋଳନକୁ ଅନେକ ସାହାଯ୍ୟ କରିଥିଲେ । ସେ ତାଙ୍କର ରାଜ୍ୟ ଗୁଜରାଟ ବୁଲି ବୁଲି ପାଖାପାଖି ୩ ଲକ୍ଷ୍ୟ ସ୍ୱେଛାସେବୀ ଏବଂ ୧୫ ଲକ୍ଷ୍ୟରୁ ଅଧିକ ପାଣ୍ଠି ସଂଗ୍ରହ କରିପାରିଥିଲେ । ଲବଣ ସତ୍ୟାଗ୍ରହ ବେଳେ ପଟେଲଜୀଙ୍କର ଜେଲ ଯିବାପରେ ଗୁଜରାଟରେ ଆନ୍ଦୋଳନ ନିଆଁ ଭଳି ବ୍ୟାପି ଥିଲା । କଂଗ୍ରେସରେ ଏକ ବଳିଷ୍ଠ ଭୂମିକା ନିର୍ବାହ କରିବା ୧୯୩୪ ମସିହାରୁ ପଟେଲଜୀଙ୍କର ଆରମ୍ଭ ହୋଇଥିଲା । ଦଳ ନିମିତ୍ତ ପାଣ୍ଠି ଏବଂ ସ୍ୱେଚ୍ଛାସେବୀ ସଂଗ୍ରହରେ ତାଙ୍କର ଅନେକ ଅବଦାନ ରହିଥିଲା ।
୧୯୪୦ ମସିହାରେ ସେ ଗାନ୍ଧିଜୀଙ୍କ ଡାକରାରେ ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇଥିଲେ । ଏହାନିମିତ୍ତ ତାଙ୍କୁ ୯ ମାସ କାରାବରଣ କରିବାକୁ ପଡିଥିଲା । ଏହି ସମୟରେ ତାଙ୍କର ପାଖାପଖି ୯ କିଲୋ ଓଜନ କମ ହୋଇଯାଇଥିଲା । ସିଙ୍ଗାପୁର ଏବଂ ମ୍ୟାନମାରରେ ଯେପରି ବ୍ରିଟିଶ ସରକାର ଛାଡ଼ି ଚାଲିଗଲେ, ଭାରତରେ ମଧ୍ୟ ସେଭଳି ଭାରତ ଛାଡ଼ ଆନ୍ଦୋଳନଦ୍ୱାରା ବ୍ରିଟିଶମାନଙ୍କୁ ବାହାର କରିହେବ ବୋଲି ସେ ଗାନ୍ଧିଜୀଙ୍କୁ ସମର୍ଥନ ଯୋଗାଇଥିଲେ । ସେ ଏହି ଆନ୍ଦୋଳନ ନିମିତ୍ତ ପ୍ରଚାର ଯେତେଶୀଘ୍ର ସମ୍ଭବ ଆରମ୍ଭ କରିବାକୁ ଚାହୁଁଥିଲେ । କଂଗ୍ରେସରୁ ଉପଯୁକ୍ତ ସମର୍ଥନ ନମିଳିବାରୁ ସେ ଦଳରୁ ଇସ୍ତଫା ଦେଇଦେବେ ବୋଲି କହିଥିଲେ । ଗାନ୍ଧିଜୀଙ୍କର ଅନୁରୋଧ କ୍ରମେ ପଟେଲଜୀ ନେହରୁଙ୍କ ନିମିତ୍ତ ପ୍ରଧାନମନ୍ତ୍ରୀ ଦୌଡ଼ରୁ ବାହାରି ଆସିଲେ । ସେ ସ୍ୱାଧୀନ ଭାରତର ଗୃହମନ୍ତ୍ରୀ ରୂପେ ପ୍ରାଦେଶିକ ରାଜ୍ୟଗୁଡ଼ିକୁ ଏକାଠି କରିବାରେ ତାଙ୍କର ମୁଖ୍ୟ ଭୂମିକା ରହିଥିଲା ।
୧୯୫୦ ମସିହା ଗ୍ରୀଷ୍ମରେ ପଟେଲଜୀଙ୍କର ଦେହ ବହୁତ ଖରାପ ହେବାକୁ ଲାଗିଲା । ସେ ରକ୍ତ ବାନ୍ତି କରୁଥିଲେ । ସେହି ବର୍ଷ ୨ ନଭେମ୍ବର ପରେ ତାଙ୍କର ଦେହ ସାଙ୍ଘାତିକ ରୂପେ ଖରାପ ହେବାର ଲାଗିଲା ଯେବେ ସେ ବାରମ୍ବାର ଚେତା ହରାଉଥିଲେ । ଗୋଟିଏ ବଡ଼ ହୃଦଘାତରେ ପଟେଲଜୀ ବମ୍ବସ୍ଥିତ ବିର୍ଲା ହାଉସରେ ୧୫ ଡିସେମ୍ବର ୧୯୫୦ ମସିହା ସକାଳ ୯:୩୭ ସମୟରେ ଇହଧାମ ତ୍ୟାଗ କରିଥିଲେ । ତାଙ୍କର ସମାଧି ଶୋଭାଯାତ୍ରାରେ ପ୍ରଧାନମନ୍ତ୍ରୀ ନେହୁରୁ ଏବଂ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦଙ୍କ ସହ ପାଖାପାଖି ଦଶ ଲକ୍ଷ ଲୋକ ଉପସ୍ଥିତ ଥିଲେ ।